ଗତ କିଛି ଦିନ ହେଲା ସିଳିମାଳି ପାହାଡ ଉପରକୁ ଯେଉଁଭଳି ବଳପୂର୍ବକ ରାସ୍ତା ନିର୍ମାଣ କରିବାକୁ ପ୍ରଶାସନ ଉଦ୍ୟମ କରୁଛି, ତା'ରି ଫଳରେ ସେ ଅଂଚଳରେ ଉତେଜନା ସୃଷ୍ଟି ହୋଇଛି । ଖଣି ପାଇଁ ରାସ୍ତା ନିର୍ମାଣର ଷଡଯନ୍ତ୍ରକୁ ଲୋକେ ବୁଝିପାରି ତାକୁ ବିରୋଧ କରୁଛନ୍ତି । ଅତଏବ ଲୋକଙ୍କ ଏହି ବିରୋଧକୁ ଦବେଇ ଦେବା ପାଇଁ ପ୍ରଶାସନ ଓ ପୋଲିସ ପକ୍ଷରୁ ସେ ଅଂଚଳରେ ଅନାବଶ୍ୟକ ଭାବେ ଧାରା ୧୪୪ (ବିଏନଏସ ୧୬୩) ଜାରି କରି ଚାରି ଜଣରୁ ଅଧିକ ଲୋକଙ୍କ ଚଳପ୍ରଚଳକୁ ନିଷିଦ୍ଧ କରାଯାଇଛି । ପରନ୍ତୁ ସରକାରର ଏଭଳି ଅନ୍ୟାୟ ପ୍ରତିବନ୍ଧକକୁ ଲୋକମାନେ ନମାନିବା କାରଣରୁ ସେମାନଙ୍କୁ ଆତଙ୍କିତ କରିବାକୁ ଦିନ ବେଳା ରାୟଗଡା ଜିଲ୍ଲାପାଳଙ୍କ ନେତୃତ୍ବରେ ସଶସ୍ତ୍ର ପୋଲିସ ଯାଇ ବିଫଳ ହୋଇ ଫେରିବା ପରେ ଶେଷରେ ରାତିଅଧୂଆ ଚଢାଉ ଓ ଗିରଫଦାରୀ ଆରମ୍ଭ ହୋଇଛି । ଅତଏବ ସେଦିନର ଘଟଣା ପାଇଁ ସ୍ଥାନୀୟ ଲୋକେ ନୁହଁନ୍ତି ବରଂ ନିଜେ ପୋଲିସ ଓ ପ୍ରଶାସନ ସମ୍ପୂର୍ଣ ଭାବେ ଦାୟୀ ଅଟନ୍ତି ।
୨୦୨୩ ମସିହାରେ ବକ୍ସାଇଟ୍ ଖଣି ଖନନ ପାଇଁ ବେଦାନ୍ତ କମ୍ପାନୀକୁ ସିଜିମାଳି ପାହାଡ଼ ନିଲାମରେ ମିଳିବା ପରେ ସେ ଅଂଚଳରେ ଏକ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି । କମ୍ପାନୀର ପ୍ରସ୍ତାବିତ ଖଣି ଖନନକୁ ସୁଗମ କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ପ୍ରକାର ଆଇନ ବର୍ହିଭୂତ କାର୍ଯ୍ୟ ଓ ଷଡ଼ଯନ୍ତ୍ର କରି ଆସିଛନ୍ତି । ସମସ୍ତ ଆଇନ କାନୁନକୁ ଖୋଲାଖୋଲି ଉଲଂଘନ କରି କମ୍ପାନୀକୁ ସେ ଅଂଚଳର ଜମି ଓ ଜଙ୍ଗଲକୁ ଟେକି ଦିଆଯାଇଛି । ଜନ ଶୁଣାଣୀରେ ସ୍ଥାନୀୟ ଲୋକେ ସ୍ପଷ୍ଟ ଭାବେ ଖଣି ଖନନକୁ ବିରୋଧ କରିଥିବା ବେଳେ ତା’ର ରିପୋର୍ଟକୁ ଅଣଦେଖା କରି କମ୍ପାନୀକୁ ପ୍ରଶ୍ରୟ ଯାଇଛି । ଏପରିକି ରାୟଗଡ଼ା ପ୍ରଶାସନ ପକ୍ଷରୁ ଖଣି ଖନନ ପାଇଁ ଜଙ୍ଗଲ ଜମି ଦେବା ସଂକ୍ରାନ୍ତରେ ଆୟୋଜିତ ଗ୍ରାମସଭାରେ ବ୍ୟାପକ ଜାଲିଆତି ଓ ବେନିୟମ କାର୍ଯ୍ୟ ସାମନାକୁ ଆସିଛି । ଗତ ୮ ଡିସେମ୍ବର ୨୦୨୩ ତାରିଖରେ ଏକା ସମୟରେ ଅନୁଷ୍ଠିତ ଆଠଟି ଗ୍ରାମର ଗ୍ରାମସଭାରେ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବେ ସମାନ ଅଧିକାରୀମାନେ ହିଁ ଉପସ୍ଥିତ ରହି ଗ୍ରାମସଭା କରିଥିବା କାଗଜପତ୍ରରେ ଦେଖାଯାଇଛି । ଗ୍ରାମସଭାରେ ବ୍ୟବହୃତ ରେକର୍ଡରେ ଅନେକ ମୃତ ଓ ଅନୁପସ୍ଥିତ ରହିଥିବା ବ୍ୟକ୍ତିଙ୍କ ଦସ୍ତଖତା ଟିପ ଚିହ୍ନ ମଧ୍ୟ ଉଲ୍ଲେଖ କରାଯାଇଛି । ଏଭଳି ଭାବେ ବେଦାନ୍ତ କମ୍ପାନୀର ସ୍ୱାର୍ଥରେ ଓଡ଼ିଶା ସରକାରଙ୍କ ପ୍ରଶାସନିକ ଓ ପୋଲିସ ଅଧିକାରୀମାନେ ସେ ଅଂଚଳରେ ଅନୁଷ୍ଠିତ ଗ୍ରାମସଭା ଓ ଜମି ଅଧିଗ୍ରହଣ ପାଇଁ ରହିଥିବା ପ୍ରକ୍ରୀୟାକୁ ଏକରକମ ପ୍ରହସନରେ ପରିଣତ କରି ଦେଇଛନ୍ତି ।
ସିଳିମାଳି ଅଂଚଳ ସମ୍ବିଧାନର ୫ମ ଅନୁଚ୍ଛେଦର ଅନ୍ତଗତ ଅଟେ । ସେଠାରେ ପ୍ରଶାସନ ଦ୍ଵାରା ଯାହା ସବୁ କରାଯାଉଛି ତାହା ସମ୍ବିଧାନର ୫ମ ଅନୁଚ୍ଛେଦ ସହ ଜଙ୍ଗଲ ଅଧିକାର ଆଇନ ୨୦୦୬, ଜମି ଅଧଗ୍ରହଣ ଆଇନ - ୨୦୧୩ ଓ ପେସା ଆଇନ-୧୯୯୬ର ଯେ ସ୍ପଷ୍ଟ ଉଲଂଘନ ହେଉଛି ତାହା ସ୍ପଷ୍ଟ ପ୍ରମାଣିତ ହେଉଛି । ସେଠାକାର ଆଦିବାସୀ ଓ ଅନ୍ୟ ପାରମ୍ପରିକ ବନଜୀବୀଙ୍କ ଜଙ୍ଗଲ ଅଧିକାର ଦାବିର ଏପର୍ଯ୍ୟନ୍ତ ଫଇସଲା ହୋଇପାରି ନାହିଁ କି ସେମାନଙ୍କୁ କୌଣସି ଜଙ୍ଗଲ ଅଧିକାର ଶିରୋନାମା ଦିଆଯାଇନାହିଁ । ପ୍ରସ୍ତାବିତ ଖଣି ଖନନ ପ୍ରକଳ୍ପ ପାଇଁ ପ୍ରକୃତ ଅର୍ଥରେ ଗ୍ରାମସଭାର କୌଣସି ସମ୍ମତି ମଧ୍ଯ ନିଆଯାଇ ନାହିଁ । ଏଭଳି ପରିସ୍ଥିତିରେ ସେ ଅଂଚଳରେ ଖଣି ଖନନ ପାଇଁ ସରକାର ଓ ତାଙ୍କ ପ୍ରଶାସନ ଯେଉଁ ସବୁ ପଦକ୍ଷେପ ନେଉଛନ୍ତି ତାହା ସମ୍ପୂର୍ଣ ବେଆଇନ ଓ ଅସାମ୍ବିଧାନିକ ଅଟେ ।
୨୦୨୩ରେ ସେ ଅଂଚଳରେ ଖଣି ଖନନ ପାଇଁ ଉଦ୍ୟମ ଆରମ୍ଭ ହେବା ପର ଠାରୁ ସ୍ଥାନୀୟ ଲୋକେ ନିଜର ଭିଟାମାଟିର ଭବିଷ୍ୟତ ନେଇ ଆଶଙ୍କିତ ହୋଇ ପଡ଼ିଛନ୍ତି । ଖଣି ଖନନ ଫଳରେ ସିଳିମାଳି ଧ୍ୱଂସ ହେଲେ ସେଠାରୁ ବାହାରିଥିବା ଝରଣା ସବୁ ନଷ୍ଟ ହେବା ସହ ଚାଷବାସ ଉଜୁଡ଼ି ଯିବା ନିଶ୍ଚିତ ବୋଲି ଲୋକେ ଜାଣିଛନ୍ତି । ଅତଏବ ନିଜର ଜମି, ଜଙ୍ଗଲ ଓ ଜୀବିକାର ସୁରକ୍ଷା ପାଇଁ ହିଁ ସେଠାକାର ଲୋକେ ଶାନ୍ତିପୂର୍ଣ୍ଣ ଭାବେ ଖଣି ଖନନକୁ ବିରୋଧ କରୁଛନ୍ତି । ତେବେ ବେଦାନ୍ତର ସ୍ୱାର୍ଥରେ ଜିଲ୍ଲା ପ୍ରଶାସନ ଓ ପୋଲିସ ସେମାନଙ୍କ ଏହି ନ୍ୟାୟ ସଙ୍ଗତ ବିରୋଧକୁ ଦବେଇ ଦେବାକୁ ଲଗାତାରଚାପ, ଦମନ ଓ ଅତ୍ୟାଚାରର ରାସ୍ତା ହିଁ ଆପଣାଇଛି । ସେ ଅଂଚଳର ଶହ ଶହ ଲୋକଙ୍କ ନାମରେ ମିଥ୍ୟା ମୋକଦ୍ଦମା ଦାୟର କରି ମନଇଛା ଗିରଫ କରି ଜେଲରେ ରଖୁଛି । ଗର୍ଭବତୀ ମହିଳା ମଧ୍ୟ ଏହି ଅନ୍ୟାୟ ଗିରଫଦାରୀରୁ ବାଦ ପଡ଼ି ନାହାନ୍ତି । ଆଜି ମଧ୍ୟ ସାଥ୍ ଲିଙ୍ଗରାଜ ଆଜାଦ, ସୁରେଶ ସଂଗ୍ରାମ ଓ ଉମାକାନ୍ତ ନାୟକଙ୍କ ସମେତ ଆନ୍ଦୋଳନ ସହ ଜଡ଼ିତ ୨୧ ଜଣ ବିଭିନ୍ନ ମିଥ୍ୟା କେଶ୍ରେ ଗିରଫ ହୋଇ ଜେଲରେ ରଖାଯାଇଛି । ସେଠାରେ ସରକାରର ଏହି ଦମନ ଲୀଳା ସାଧାରଣ ମଣିଷର ସମ୍ମାନର ସହ ବଂଚିବାର ଅଧିକାରକୁ ଚପାଇ ଦେଇ ବେଦାନ୍ତ କମ୍ପାନୀକୁ ସିଜିମାଳିକୁ ଟେକି ଦେବା ପାଇଁ ଉଦ୍ଧିଷ୍ଟ ।
ସିଜିମାଳିରେ ପ୍ରସ୍ତାବିତ ବକ୍କାଇଟ ଖଣି ପ୍ରକଳ୍ପ ପରିବେଶ, ଜଙ୍ଗଲ, ଜଳ ସମ୍ପଦ ଓ ଜନ ଜୀବନ ପାଇଁ ଗୁରୁତର ବିପଦ ଭାବେ ଠିଆ ହୋଇଛି । ପର୍ବତରେ ଖଣି ଖୋଳାଗଲେ ସେଥୁରୁ ନିର୍ଗତ ଝରଣା ଗୁଡ଼ିକ ଅଚିରେ ଶୁଝାଯିବାର ସମ୍ଭାବନା ଥିବାରୁ ସ୍ଥାନୀୟ କୃଷି ଓ ସେ ଅଂଚଳବାସୀଙ୍କ ଜୀବନ ଉପରେ ଏହି ପ୍ରକଳ୍ପ ଗୁରୁତର କ୍ଷତି ପହଂଚାଇବାକୁ ଯାଉଛି । ଅତଏବ ସରକାର କମ୍ପାନୀ ବଦଳରେ ସ୍ଥାନୀୟ ଲୋକଙ୍କ ସାଥ୍ରେ ଛିଡ଼ା ହୋଇ ସେମାନଙ୍କ ଜୀବନ, ଜୀବିକା ଓ ପରିବେଶର ବୃହତର ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରକଳ୍ପକୁ ତୁରନ୍ତ ବାତିଲ କରିବା ଦରକାର ।
ସିଜିମାଳିର ଘଟଣା, କୌଣସି ବିଛିନ୍ନ ଘଟଣା ନୁହେଁ । ଗତ କିଛି ଦଶନ୍ଧି ଧରି ଓଡ଼ିଶାରେ ବିଭିନ୍ନ ସରକାର ଦ୍ଵାରା ବିକାଶ ନାଁରେ ରାଜ୍ୟର ମୂଲ୍ୟବାନ ଖଣିଜ ସମ୍ପଦକୁ ଦେଶୀ ବିଦେଶୀ ବୃହତ କମ୍ପାନୀମାନଙ୍କୁ ଟେକିଦେବାକୁ ଲଗାତାର ଉଦ୍ୟମ ହୋଇଛି । ଏହି ତଥାକନ୍ତ ବିକାଶ ନାଁରେ ରାଜ୍ୟର ଗରିବ ଲୋକ ବିଶେଷ କରି ଆଦିବାସୀମାନଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ସେମାନଙ୍କ ଜମି, ଜଙ୍ଗଲ, ପାହାଡ଼ ଓ ଝରଣାରୁ ବଳପୂର୍ବକ ଉଚ୍ଛେଦ କରାଯାଇଛି । ଅତିତରେ କଳିଙ୍ଗନଗର, ମାଇକଂଚ ଓ ଢ଼ିଙ୍କିଆରେ ଆମେ କର୍ପୋରେଟ୍ ପ୍ରାୟୋଜିତ ଏହି ସରକାରୀ ହିଂସାର ବିଭତ୍ସ ରୂପକୁ ଦେଖୁଥିବା ବେଳେ ଆଜି ବି ତାହା ସୁନ୍ଦରଗଡ଼ର ଲାଞ୍ଜିବେଣ୍ଡା ଠାରୁ କେନ୍ଦୁଝରର ପାଟଣା ଏବଂ ରାୟଗଡ଼ାର ସିଜିମାଳିରେ ତା’କୁ ଦେଖୁଛେ । ନିକଟରେ ଗଜପତିର କାଶୀନଗର ବ୍ଲକ୍ ଅନ୍ତଗତ ମଧୁସୂଦନପୁର ଠାରେ ଆଦିବାସୀମାନେ ନିଜର ଜମି ଅଧିକାରକୁ ରକ୍ଷା କରିବାକୁ ଯାଇ ପୋଲିସ ର୍ବବରତାର ଶିକାର ହୋଇଛନ୍ତି । ଆଜି ଦେଶର ରାଷ୍ଟ୍ରପତି, କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ଆଦିବାସୀ ସମ୍ପ୍ରଦାୟର ଲୋକମାନେ ହିଁ ଆସନରେ ବସିଥିବା ବେଳେ ରାଜ୍ୟର ସବୁଠି ଆଦିବାସୀଙ୍କ ଉପରେ ଦମନ, ଅତ୍ୟାଚାର ଓ ସେମାନଙ୍କ ଜମି ଓ ଜଙ୍ଗଲ ଲୁଟ୍ ହେବା ଲଜ୍ଜାଜନକ ଅଟେ । ଆର୍ଏସ୍ଏସ୍ ଓ ବିଜେପିର ଏହି ତଥାକଥୁତ ଡ଼ବଲ ଇଂଜିନ ସରକାର ଏବେ ରାଜ୍ୟର ଆଦିବାସୀ ଓ ସାଧାରଣ ଲୋକଙ୍କ ପାଇଁ ଡବଲ ଆତଙ୍କରେ ପରିଣତ ହୋଇଛି । ସରକାରର ରାଜସ୍ୱମନ୍ତ୍ରୀ ରାଜ୍ୟର ସବୁ ଗରିବ ଭୂମିହୀନଙ୍କୁ ଚାରି ଡ଼େସିମିଲ ସରକାରୀ ଜମି ଦେବାକୁ ଘୋଷଣା କରିଥିବା ଅନ୍ୟପଟେ ଲୋକଙ୍କ ଜମିକୁ ଛଡ଼େଇ କର୍ପୋରେଟମାନଙ୍କୁ ଦେବାରେ ବ୍ୟସ୍ତ । ରାଜ୍ୟର ସରକାରୀ ଜମିକୁ ଗରିବ ଲୋକଙ୍କୁ ଦେବା ବଦଳରେ ତାକୁ ଭୂମିବ୍ୟାଙ୍କ୍ରେ ରଖ୍ କର୍ପୋରେଟଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ଏଭଳି ପରିସ୍ଥିତିରେ ବିକାଶ ନାଁରେ କର୍ପୋରେଟ୍ଙ୍କ ଦ୍ଵାରା ରାଜ୍ୟର ମୂଲ୍ୟବାନ ପ୍ରାକୃତିକ ସମ୍ପଦର ଲୁଟ୍କୁ ବନ୍ଦ କରିବାକୁ ତଥା ଗରିବ ଚାଷୀ ଓ ଆଦିବାସୀଙ୍କ ଜମି ତଥା ଜଙ୍ଗଲ ଅଧିକାରର ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବାକୁ ହେବ । ସିଜିମାଳିର ଲଢ଼େଇ କେବଳ କେବଳ ଆଦିବାସୀ କିମ୍ବା ଭିଟାମାଟିର ଲଢ଼େଇ ନୁହେଁ । ଓଡ଼ିଶାର ଜଙ୍ଗଲ, ପରିବେଶ ଓ ପ୍ରାକୃତିକ ସମ୍ପଦକୁ କର୍ପୋରେଟ୍ ଲୁଟେରାମାନଙ୍କ କବଳରୁ ରକ୍ଷା କରିବାର ଏହା ଲଢ଼େଇ ଅଟେ । ଏହି କ୍ରମରେ ରାଜ୍ୟର ରାଜ୍ୟର ଚାରୋଟି ବାମପନ୍ଥୀ ସଂଗଠନ ପକ୍ଷରୁ ଆସନ୍ତା ଏପ୍ରିଲ ୧୭ ତାରିଖରେ ରାଜ୍ୟସ୍ତରୀୟ ପ୍ରତିବାଦ ଦିବସର ଡ଼କାରା ଦିଆଯାଇଛି । ଏଥିରେ ବିଭିନ୍ନ ଗଣ ସଂଗଠନ ଓ ଜନ ଆନ୍ଦୋଳନମାନଙ୍କ ପକ୍ଷରୁ ଏହାର ସମର୍ଥନରେ ପ୍ରତିବାଦ ଓ ବିକ୍ଷୋଭ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଆପଣମାନେ ଏଥିରେ ବହୁସଂଖ୍ୟାରେ ଯୋଗଦେଇ ସରକାରର ବଳପୂର୍ବକ ଜମି ଅଧିଗ୍ରହଣ ଓ ଦମନ- ଅତ୍ୟାଚାରର ପ୍ରତିବାଦ କରି ଏହି ମର୍ମରେ ଓଡ଼ିଶାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିବାକୁ ଅନୁରୋଧ ।
ଆମର ଦାବି :
୧) ସିଜିମାଳି ଅଂଚଳରେ ହୋଇଥିବା ପୁଲିସ ଅତ୍ୟାଚାର ଓ ଜାଲ ଗ୍ରାମସଭାର ବିଚାର ବିଭାଗୀୟ ତଦନ୍ତ କରାଯାଉ ।
୨) ଆନ୍ଦୋଳନର କର୍ମୀ ଓ ସାଧାରଣ ଲୋକଙ୍କ ନାମରେ ହୋଇଥିବା ମିଛ ଓ ମନଗଢ଼ା କେଶ୍ ଗୁଡ଼ିକୁ ପ୍ରତ୍ୟାହାର କରାଯାଉ । ମିଥ୍ୟା ମୋକଦ୍ଦମାରେ ଗିରଫ ହୋଇଥିବା ଲୋକମାନଙ୍କୁ ତୁରନ୍ତ ଜେଲରୁ ମୁକ୍ତ କରାଯାଉ ।
୩) ୫ମ ଅନୁସୂଚୀ ଅଂଚଳରେ ଆଦିବାସୀଙ୍କ ରହିଥିବା ସ୍ୱତନ୍ତ୍ର ଅଧିକାର, ଜଙ୍ଗଲ ଅଧିକାର ଆଇନ- ୨୦୦୬ ଓ ପେସା ଆଇନ- ୧୯୯୬ରେ ଥିବା ନିୟମଗୁଡିକ କଡ଼ାକଡ଼ି ଭାବେ ଲାଗୁ କରାଯାଉ ।
୪) ସିଜିମାଳି ବଢ଼ାଇଟ ଖଣି ପ୍ରକଳ୍ପକୁ ବାତିଲ କରାଯାଉ ଓ ଆଦିବାସୀଙ୍କ ଅଧିକାର ଓ ପ୍ରାକୃତିକ ସମ୍ପଦର ସୁରକ୍ଷାକୁ ସୁନିଶ୍ଚିତ କରାଯାଉ ।
୫) ମାଳି ପର୍ବତ (ସେମିଳିଗୁଡ଼ା), ପାଟଣା (କେନ୍ଦୁଝର), ଲାଞ୍ଜିବେର୍ଷା (ସୁନ୍ଦରଗଡ଼), ସେରୁବନ୍ଧ (ପଟାଙ୍ଗି), ନାଗେଶ୍ଵରୀ ମାଳି (ନନ୍ଦପୁର), କୁଟୁମାଳି (କାଶିପୁର) ଆଦି ସ୍ଥାନରେ ଖଣି ଓ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ବଳପୂର୍ବକ ଜମି ଅଧିଗ୍ରହଣ କରିବା ବନ୍ଦ କରାଯାଉ ।


