ସୂଚନା ଅନୁଯାୟୀ, ସରକାରଙ୍କ ଅନୁମତି ପରେ ପ୍ରଶାସନ ପକ୍ଷରୁ ରାୟଗଡ଼ା ଓ କଳାହାଣ୍ଡି ସୀମାନ୍ତ କାଶୀପୁର ବ୍ଳକ୍ର ପୁରଲାଙ୍ଗଠାରୁ ଶାଗବାରି ଘାଟି ପର୍ଯ୍ୟନ୍ତ ପ୍ରାୟ ୩ କିମି ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଥିଲା। ଏହି ରାସ୍ତାକାମକୁ ନେଇ ଗତ କିଛିଦିନ ହେଲା ଲାଗି ରହିଥିଲା ଅଶାନ୍ତି ଓ ଉତ୍ତେଜନା। ବେଦାନ୍ତ କମ୍ପାନି ପକ୍ଷରୁ ହେଉଥିବା ଏହି ରାସ୍ତାକୁ ପାହାଡ଼ ଚାରିପାଖରେ ରହୁଥିବା ୮ରୁ ଅଧିକ ଗାଁର ଲୋକେ ବିରୋଧ କରିଆସୁଥିଲେ । ଏହାକୁ ଦୃଷ୍ଟିରେ ରଖି ପୁଲିସ୍ ପକ୍ଷରୁ ସେଠାରେ ଏକ କ୍ୟାମ୍ପ୍ କରାଯାଇଥିଲା ।
ସୋମବାର ମଧ୍ୟରାତ୍ରରୁ ଏକାଠି ହୋଇଥିଲେ ଆଖପାଖ ଗାଁର ଶତାଧିକ ମହିଳା। ହାତରେ ରହିଥିଲା ପାରମ୍ପରିକ ଅସ୍ତ୍ରଶସ୍ତ୍ର । ବେଦାନ୍ତ କମ୍ପାନି ବିରୋଧରେ ସେମାନେ ‘ଗୋ ବ୍ୟାକ୍’ ନାରା ଦେଇ କାମରେ ବାଧା ଦେଇଥିଲେ । ଯାହାକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଜି ଭୋର୍ ପ୍ରାୟ ୫ଟା ବେଳେ ଏହା ବିସ୍ଫୋରକ ମୋଡ଼ ନେଇଥିଲା। ପୁଲିସ୍ ଉପରେ ହୋଇଥିଲା ସଂଘବଦ୍ଧ ଆକ୍ରମଣ। ପୁଲିସ ପ୍ରୟୋଗ କରିଥିଲା ଲୁହବୁହା ଗ୍ୟାସ୍। ଏଥିସହ ପାଲଟା ଆକ୍ରମଣ କରିଥିଲା। ଏଥିରେ ପ୍ରାୟ ୪୦ ଜଣ ଗ୍ରାମବାସୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ରାମଚନ୍ଦ୍ର ନାଏକ, ଅନି ମାଝୀ, ନାରିଙ୍ଗଦେଇ ମାଝୀ, ଲାଲି ମାଝୀ, କୁମୁଟି ମାଝୀ, ବାମଣି ମାଝୀ, ବୁରସା ମାଝୀ, ନିଙ୍ଗି ମାଝୀ, ଅଗାଧୁ ନାଏକ ପ୍ରମୁଖ ଗୁରୁତର ରହିଛନ୍ତି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି , ଡିଆଇଜି ଡ. କନୱର ବିଶାଲ ସିଂ, ଏସ୍ପି ସ୍ବାଥୀ ଏସ୍. କୁମାର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଡିଜି ସଞ୍ଜୟ କୁମାର। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଅଧିକ ପୁଲିସ ପଠାଇବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ।
ଏସ୍ପି ସ୍ବାତୀ ଏସ୍. କୁମାର କହିଛନ୍ତି ଯେ, କାଶୀପୁର ଥାନା କେସ୍ ନମ୍ବର ୮୩ର ଜଣେ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଯାଇଥିବାବେଳେ ଏହି ଘଟଣା ଘଟିଛି। ସେଠାରେ ପ୍ରାୟ ୨୫୦ ଜଣ ଲୋକ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ। ଘଟଣାର ତଦନ୍ତ ଜାରି ରହିଛି। ଡିଆଇଜି ଶ୍ରୀ ସିଂ ଡାକ୍ତରଖାନାରେ ଆହତ କର୍ମଚାରୀମାନଙ୍କୁ ଭେଟି ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।
ସୂଚନାଥାଉ କି, ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଭାରତୀୟ ନାଗରିକ ସଂହିତା ଧାରା ୧୬୩ ଏବଂ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୪୪ ଅନୁଯାୟୀ ଗତ ୩ ତାରିଖରୁ ସେଠାରେ ନିଷେଧାଜ୍ଞା ଜାରି କରାଯାଇଥିଲା । ରାସ୍ତାରୁ ୧୦୦ ମିଟର ଦୂରତା ମଧ୍ଯରେ ଆସନ୍ତା ମାସକ ପର୍ଯ୍ୟନ୍ତ ୪ ଜଣରୁ ଅଧୁକ ଲୋକ ଏକାଠି ହୋଇପାରିବେ ନାହିଁ ବୋଲି କୁହାଯାଇଥିଲା। ଅନ୍ୟ ପଟେ ବେଦାନ୍ତ କମ୍ପାନୀ ସହିତ କମ୍ପାନୀ ସ୍ଥାପନା କରିବା ପାଇଁ ଗ୍ରାମବାସୀ ଙ୍କ ସହିତ କୌଣସି ଗ୍ରାମସଭା କିମ୍ବା ଗ୍ରାମବାସୀଙ୍କ ହସ୍ତାକ୍ଷର ନିଆଯାଇ ଥିଲା କି ନାହିଁ ଵର୍ତମାନ ସମୟ ରେ ପ୍ରଶ୍ନବାଚୀ ? ସୃଷ୍ଟି କରୁଛି l


