ଧରାକୋଟ ଗଡ଼ରେ ପଞ୍ଚୁଦଣ୍ଡ ମହାମିଳନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମାଣିକପୁର, ପଣିବନ୍ଧ, ବରଡାବିଲି, ଜାହାଡା ଓ ଧରାକୋଟ ଦଣ୍ଡଦଳ ଭାଗ ନେଇଥିଲେ। ପ୍ରଥମେ ମାନସିକଧାରି ମାନେ ପାଞ୍ଚ ଗୋଟି ଦଣ୍ଡକୁ ନିମନ୍ତ୍ରଣ କରି ବରଣ କରିଥିଲେ । ଏହା ପରେ ସମସ୍ତ ଦଣ୍ଡଦଳ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ନିକଟରେ ସମବେତ ହେବାପରେ କର୍ତ୍ତା ଦିଲିପ ସ୍ୱାଇଁ, ନବଘନ ଭଞ୍ଜ, ଗତି କୃଷ୍ଣ ସାହୁ ,ରାମକୃଷ୍ଣ ପତ୍ରୀ ଓ ଆମର ଦାସ ଯଥାକ୍ରମେ କୁମ୍ଭାର ସାହି, ବଡଦାଣ୍ଡ ସାହି, ରଥପଦା ସାହି,କୋଠରୀ ସାହି ଓ ମଝି ସାହି କୁ ଦଣ୍ଡଦଳକୁ ପାଛୋଟି ନେଇଥିଲେ ।ମଧ୍ୟାହ୍ନରେ ଧୂଳିଦଣ୍ଡ ସାରି ନେଳିଆ ବନ୍ଧରେ ପାଞ୍ଚ ଗୋଟି ଦଳ ପାଣିଦଣ୍ଡ କାର୍ଯ୍ୟ ସମାପନ କରି ଅଗ୍ନିଦଣ୍ଡ ସହ ନଗର ପରିକ୍ରମା କରିଥିଲେ । ଅପରାହ୍ନରେ ଆଡ଼ପ ମଣ୍ଡପ ମେଳଣ ପଡ଼ିଆରେ ପଞ୍ଚଦଣ୍ଡ ଙ୍କର ମହାମିଳନ ପର୍ବ ଅନୁଷ୍ଠିତ ହୋଇଥିଲା । ମିଳନ ପର୍ବରେ ଧରାକୋଟ ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ରାଜଜେମା ଶାନ୍ତିପ୍ରିୟା ଦେବୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ସମାଜସେବୀ ପ୍ରଦୀପ ପତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ।ଏହାପରେ ଧରାକୋଟ ମିନି ଷ୍ଟାଡିୟମରେ ସନ୍ଧ୍ୟା ଆଳତି ଓ ନିଶାର୍ଦ୍ଧରେ ସାମୂହିକ ପ୍ରସାଦ ସେବନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଶେଷ ପର୍ଯ୍ୟାୟରେ ପାଞ୍ଚ ଗୋଟି ଦଣ୍ଡଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଥାନାଅଧିକାରୀ ଚନ୍ଦ୍ରିକା ସ୍ବାଇଁ,ଅତିରିକ୍ତ ଥାନା ଅଧିକାରୀ ଅଞ୍ଜଳି ବେହେରାଙ୍କ ନେତୃତ୍ୱରେ ସଫଳତାର ସହ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରାଯାଇଥିବା ବେଳେ ଅଗ୍ନୀଶମ ଅଧିକାରୀ କୃଷ୍ଣ ଚନ୍ଦ୍ର ସାହୁ,ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଏମ ଭି କେ ଅଶୋକ ଉପସ୍ଥିତ ରହିଥିଲେ । ଆଜିର ପଞ୍ଚୁ ଦଣ୍ଡ ମିଳନ କାର୍ଯ୍ୟକ୍ରମରେ ସତ୍ୟସାଇ ସେବା ଗୃଫ ଓ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଭକ୍ତ ମାନଙ୍କୁ ପଣା ଓ ଥଣ୍ଡା ପାନୀୟ ଜଳ ବଣ୍ଟନ କରାଯାଇଥିବା ବେଳେ ସ୍ୱେଚ୍ଛାସେବୀ ମାନଙ୍କ ଦ୍ଵାରା ଭୋଗ ପଣା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଧରାକୋଟ ଗ୍ରାମବାସୀ ଓ ମା ଦଣ୍ଡ କାଳି ଯୁବକ ସଂଘର ସଦସ୍ୟ ମାନେ ଏଥିରେ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ।


