ଧରାକୋଟ ବ୍ଲକ ତଥା ବଡଗଡ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଶାସନ ଛକ ରେ ଆଜି ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ଘଟିଛି। ଆଜି ରୁଗୁମୁ ପଞ୍ଚାୟତ ର କାନଗିରିଡି ଗ୍ରାମର ଅଭିରାମ ସେଠୀ ଙ୍କ ପୁଅ ଚନ୍ଦନ ସେଠୀ (୨୨) ନିଜର ସ୍କୁଟି ରେ ମୁକ୍ତାପୁଞ୍ଜି ଗ୍ରାମରୁ ଦଣ୍ଡନାଚ ଦେଖି ଅପରାହ୍ନ ଦୁଇଟା ସମୟରେ ନିଜ ଗାଁ କାନଗିରିଡି କୁ ଏକା ଫେରୁଥିଲେ । ଏହି ସମୟରେ ରୁଗୁମୁ ପଟୁ ଆସିକା ଆଡ଼କୁ ଏକ ବାଇକ ଯୋଗେ ତିନିଜଣ ଯୁବକ ଯାଉଥିବା ବେଳେ ଜଗନ୍ନାଥପୁର ଶାସନ ଛକ ବାଙ୍କ ରେ ସେମାନେ ଚନ୍ଦନ କୁ ଧକ୍କା ଦେଇ ଫେରାର ହୋଇଯାଇଥିଲେ । ଅସହ୍ୟ ଖରାରେ ଚନ୍ଦନ ସେଠୀ ପଡିରହିଥିବା ବେଳେ ଲୋକେ ତାଙ୍କ ପରିବାର ଲୋକ ଙ୍କୁ ଖବର ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଧରାକୋଟ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣା ଘଟାଇ ଚାଲିଯାଇଥିବା ବାଇକ ଆରୋହୀ ମାନଙ୍କ ପତ୍ତା ମିଳିନଥିବା ବେଳେ ବଡଗଡ ପୋଲିସ ଅନୁସନ୍ଧାନ ଜାରି ରଖିଛି।


