କେନ୍ଦୁଝର ଜିଲ୍ଲା ହାଟଡିହି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ରାତି ଅଧରେ ଛିଡ଼ା ହୋଇଥିବା ଟ୍ରକରୁ ଚୋରି କରୁଥିବା ବେଳେ ଜଣେ ଚୋରକୁ ଧରିଛନ୍ତି ସ୍ଥାନୀୟ ଟ୍ରକ ଚାଳକ। ଚୋରକୁ କାବୁ କରିବା ପରେ ଉତ୍ତ୍ୟକ୍ତ ଚାଳକମାନେ ତାକୁ ଉତ୍ତମ ମଧ୍ୟମ ଦେବା ସହ ଅର୍ଦ୍ଧଲଣ୍ଡା କରିଦେଇଥିବାର ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୨ଟା ସମୟରେ ହାଟଡିହି ଅଞ୍ଚଳରେ କିଛି ଟ୍ରକ ରାସ୍ତା କଡ଼ରେ ଅଟକି ରହିଥିଲା। ଏହି ସମୟର ସୁଯୋଗ ନେଇ ଜଣେ ଦୁର୍ବୃତ୍ତ ଟ୍ରକରୁ ସାମଗ୍ରୀ ଚୋରି କରିବାକୁ ଉଦ୍ୟମ କରୁଥିଲା। ତେବେ ଡ୍ରାଇଭରମାନେ ସତର୍କ ଥିବାରୁ ଚୋରକୁ ହାତେ ହାତେ ଧରି ପକାଇଥିଲେ।
ଚୋରକୁ ଧରିବା ପରେ ଟ୍ରକ ଡ୍ରାଇଭରମାନେ ନିଜର କ୍ରୋଧ ସମ୍ବରଣ କରିପାରିନଥିଲେ। ତାକୁ ଘେରିଯାଇ ଉତ୍ତମ ମଧ୍ୟମ ଦେଇଥିଲେ ଏବଂ ଶାସ୍ତି ସ୍ୱରୂପ ତାର ମୁଣ୍ଡର ଅଧା ଅଂଶ କାଟି ଲଣ୍ଡା କରି ଦେଇଥିଲେ। ପରେ ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ହେପାଜତକୁ ନେବା ସହ ତଦନ୍ତ ଆରମ୍ଭ କରିଛି।
ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ରାଜପଥରେ ଯାତାୟାତ କରୁଥିବା ଚାଳକମାନେ ସୁରକ୍ଷାକୁ ନେଇ ବାରମ୍ବାର ଚିନ୍ତା ପ୍ରକଟ କରୁଥିବା ବେଳେ ଏଭଳି ଚୋରି ଘଟଣା ସେମାନଙ୍କ ପାଇଁ ବଡ଼ ଚିନ୍ତାର ବିଷୟ ହୋଇଛି।


