କଣିହାଁ: ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଅନେକ ଯୋଜନା କରୁଛନ୍ତି। ହେଲେ ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାର କଣିହାଁ ବ୍ଲକ୍ ଶୁଶୁବା ପଞ୍ଚାୟତ ଅନ୍ତର୍ଗତ ପୋଡ଼ାଗଡ଼ ଗାଁଠାରୁ ୬ କିଲୋମିଟର ଦୂରରେ ଥିବା କଦଳୀପାଳ ମୁଣ୍ଡାସାହି ଓ ଝରାସାହିରେ ବିକାଶ ଅପହଞ୍ଚ। ବସ୍ତିର ୭୦ଟି ଭୂମିହୀନ ପରିବାର ଆବାସ ଯୋଜନାରୁ ବଞ୍ଚିତ। ବର୍ଷତମାମ ଏମାନେ ନଈପାଣି ବ୍ୟବହାର କରନ୍ତି। ରାସନ ଆଣିବାକୁ ୯ କିଲୋମିଟର ଯାଆନ୍ତି। ବିଦ୍ୟୁତ୍ ସଂଯୋଗ ଦିଆଯାଇନି। ଲଣ୍ଠନ ଓ ଡିବିରି ଏମାନଙ୍କ ପାଇଁ ଅନ୍ଧାରର ସାହାରା। ଏସବୁ ସମସ୍ୟା ନେଇ ସ୍ଥାନୀୟ ରାଜନେତା ଓ ପ୍ରଶାସନକୁ ବାରମ୍ବାର ଗୁହାରି କରୁଥିଲେ ବି ସମାଧାନ ହୋଇପାରୁନି। ସୂଚନା ଅନୁସାରେ, ୧୯୭୩ ମସିହାରେ ରେଙ୍ଗାଳି ନଦୀବନ୍ଧର ନିର୍ମାଣ କାର୍ଯ୍ୟ ଆରମ୍ଭ ସମୟରେ ରାଜ୍ୟ ତଥା ରାଜ୍ୟ ବାହାରର ଲୋକେ ଏଠାକୁ ଆସି ବସ୍ତି ସ୍ଥାପନ କରି ପ୍ରକଳ୍ପରେ କାମ କରୁଥିଲେ। ନଦୀବନ୍ଧ କାମ ଶେଷ ହେବା ପରେ ମଧ୍ୟ କିଛି ଶ୍ରମିକ ସେମାନଙ୍କ ପରିବାରକୁ ନେଇ ଏଠାରେ ସ୍ଥାୟୀ ଭାବରେ ବସବାସ କରୁଛନ୍ତି। ଏମାନେ ଅତି ଅବହେଳିତ ଅବସ୍ଥାରେ ଜୀବିକା ନିର୍ବାହ କରୁଛନ୍ତି। ସେମାନଙ୍କ ନାଁରେ ଜମି ନ ଥିବାରୁ ଆବାସ ଯୋଜନାରେ ଘର ମିଳୁନାହିଁ। ସାହିରେ ପାନୀୟଜଳର ସମସ୍ୟା ରହିଛି। ଲୋକେ ବର୍ଷ ତମାମ ପାଖରେ ଥିବା ବ୍ରାହ୍ମଣୀ ନଦୀରୁ ପାଣି ଆଣି ପାନୀୟ ରୂପେ ବ୍ୟବହାର କରୁଛନ୍ତି।
ବସ୍ତିରେ ଅଙ୍ଗନବାଡ଼ି କି ବିଦ୍ୟାଳୟ ନାହିଁ। ଛାତ୍ରଛାତ୍ରୀ ପାଠ ପଢ଼ିବା ପାଇଁ ଏଠାରୁ ୬ କିଲୋମିଟର ଦୂର ପୋଡ଼ାଗଡ଼କୁ ଯାଉଛନ୍ତି। ହାଇସ୍କୁଲରେ ପଢ଼ିବାକୁ ହେଲେ ୮ କିଲୋମିଟର ଦୂର ଶୁଶୁବା ହାଇସ୍କୁଲକୁ ଯିବାକୁ ପଡ଼ୁଛି। ବସ୍ତି ବାସିନ୍ଦାଙ୍କ ପାଇଁ ବିଦ୍ୟୁତ୍ ଆଲୋକ ସ୍ବପ୍ନ। ଲଣ୍ଠନ ଓ ଡିବିରି ସେମାନଙ୍କୁ ଅନ୍ଧାରରୁ ମୁକ୍ତି ଦିଏ। ସରକାର ଲୋକଙ୍କୁ ସ୍ୱଚ୍ଛ ଭାରତ ମିସନ୍ ଯୋଜନାରେ ପ୍ରତି ଘରକୁ ପାଇଖାନା ଯୋଗାଇ ଦେଉଛନ୍ତି। କିନ୍ତୁ ଏମାନଙ୍କ ପାଇଁ ସବୁ ଯୋଜନା ଅପହଞ୍ଚ। ରାସନ ସାମଗ୍ରୀ ଆଣିବାକୁ ଗାଁଠାରୁ ୯ କିଲୋମିଟର ଦୂର ଗେଙ୍ଗୁଠିଆ ଗାଁକୁ ଯିବାକୁ ପଡୁଛି। ସେହିପରି ଭତ୍ତା ପାଇଁ ଶୁଶୁବା ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ପଡ଼ୁଛି। ସ୍ଥାନୀୟ ସରପଞ୍ଚ ମାମାଲି ସାମଲ ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ବିଡିଓ, ଉପଜିଲ୍ଲାପାଳ, ଜିଲ୍ଲାପାଳଙ୍କୁ ୨୦୨୩ ମସିହାରେ ପତ୍ର ମାଧ୍ୟମରେ ଅବଗତ କରିଥିଲେ। ହେଲେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନି।


