ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV) ର ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରୀ ବିଦ୍ୟାଳୟ (SGS) କୋଟାରେ ସାମିଲ କରିବା ଦାବିକୁ ନେଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ସଂଘ (AVSA) ପକ୍ଷରୁ ଆଜିଠାରୁ ଏକ ରାଜ୍ୟବ୍ୟାପୀ ସ୍ୱାକ୍ଷର ଅଭିଯାନର ଶୁଭାରମ୍ଭ କରାଯାଇଛି।
ରାଜ୍ୟ ଆବାହକ ଶ୍ରୀ ଅମରେଶ ଲେଙ୍କାଙ୍କ ନେତୃତ୍ୱରେ ଏହି ଅଭିଯାନ ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ ଏବଂ OAV ଅଞ୍ଚଳରେ AVSAର କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀମାନେ ଏହି ସ୍ୱାକ୍ଷର ଅଭିଯାନକୁ ଜନସାଧାରଣଙ୍କ ମଧ୍ୟରେ ପହଞ୍ଚାଇବେ।
ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ରାଜ୍ୟ ସରକାରଙ୍କ ନିକଟରେ ଜନମତ ଉପସ୍ଥାପନ କରି OAV ଛାତ୍ରଛାତ୍ରୀଙ୍କୁ SGS କୋଟାରେ ସାମିଲ କରିବା ପାଇଁ ଦୃଢ଼ ଦାବି ରଖିବା। ଏହି ଦାବି ପୂରଣ ହେଲେ MBBS, BDS, B.Tech ସମେତ ଉଚ୍ଚଶିକ୍ଷା କ୍ଷେତ୍ରରେ OAV ଛାତ୍ରଛାତ୍ରୀମାନେ ସମାନ ସୁଯୋଗ ପାଇପାରିବେ।
ଅଭିଯାନରେ ସଂଗୃହୀତ ସମସ୍ତ ସ୍ୱାକ୍ଷରକୁ ଏକତ୍ର କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାଖଲ କରାଯିବ। ପ୍ରୟୋଜନ ପଡ଼ିଲେ ଏହି ପ୍ରସଙ୍ଗରେ ଆଇନଗତ ପଦକ୍ଷେପ ଗ୍ରହଣ କରି ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ମଧ୍ୟ ଜନସ୍ୱାର୍ଥ ମାମଲା (PIL) ଦାଖଲ କରାଯିବ ବୋଲି AVSA ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟ ଆବାହକ ଅମରେଶ ଲେଙ୍କା କହିଛନ୍ତି ଯେ, "OAV ଛାତ୍ରଛାତ୍ରୀଙ୍କୁ ସମାନ ଅଧିକାର ମିଳିବା ଆମର ମୌଳିକ ଦାବି। ଏହି ଆନ୍ଦୋଳନ ଛାତ୍ର ସ୍ୱାର୍ଥ ଓ ଶିକ୍ଷାରେ ସମାନତା ପାଇଁ ଉତ୍ସର୍ଗୀକୃତ।"
ପ୍ରତିଷ୍ଠାତା କ୍ରାନ୍ତି କୁମାର ହୋତା କହିଛନ୍ତି ଯେ, "ରାଜ୍ୟର ପ୍ରତ୍ୟେକ OAVian, ଅଭିଭାବକ ଓ ସଚେତନ ନାଗରିକଙ୍କୁ ଏହି ସ୍ୱାକ୍ଷର ଅଭିଯାନରେ ସାମିଲ ହୋଇ ଛାତ୍ର ସ୍ୱାର୍ଥରେ ସହଯୋଗ କରିବାକୁ ଅନୁରୋଧ କରୁଛୁ।"
AVSA ପକ୍ଷରୁ ସମସ୍ତ OAVian, ପୂର୍ବତନ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷାବିତ୍ ଏବଂ ସାଧାରଣ ଜନତାଙ୍କୁ ଏହି ଅଭିଯାନରେ ସାମିଲ ହୋଇ OAV ଛାତ୍ରଛାତ୍ରୀଙ୍କ ନ୍ୟାୟସଙ୍ଗତ ଅଧିକାର ହାସଲ ପାଇଁ ସହଯୋଗ କରିବାକୁ ଆହ୍ୱାନ ଜଣାଯାଇଛି।



👍
ReplyDelete