ଆସିକା, ଆସିକା ସହରର ବିଜୁ ପଟ୍ଟନାୟକ ଛକ ନିକଟସ୍ଥ ହୋଣ୍ଡା ଶୋ’ରୁମ ପାଖରେ ନୂତନ ଭାବେ କିଓରବେ କ୍ଲିନିକ ଉଦ୍ଘାଟିତ ହୋଇଛି। ଅଞ୍ଚଳବାସୀଙ୍କୁ ସହଜ, ସୁଲଭ ଓ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇବା ଲକ୍ଷ୍ୟରେ ଏହି କ୍ଲିନିକ କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡ଼ିଛି।କ୍ଲିନିକ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ମୋତିଆ ବିନ୍ଦୁ, ସ୍ତ୍ରୀ ରୋଗ, ଗଳା ଓ ନାକ ସମ୍ବନ୍ଧୀୟ ସର୍ଜରୀ, ହାର୍ନିଆ, ଅସ୍ଥି ଶଲ୍ୟ ଚିକିତ୍ସା, ଆପେଣ୍ଡିସାଇଟିସ, ଗଲ୍ଷ୍ଟୋନ, ହାଇଡ୍ରୋସିଲ, ଅର୍ଶ, ମଳକଣ୍ଟକ ଓ ଭଗନ୍ଦର ଭଳି ବିଭିନ୍ନ ରୋଗର ଚିହ୍ନଟ ଓ ଚିକିତ୍ସା ପାଇଁ ଆବଶ୍ୟକ ସୁବିଧା ଏଠାରେ ଉପଲବ୍ଧ ରହିଛି। ରୋଗୀମାନେ ଏକ ସ୍ଥାନରେ ବିଭିନ୍ନ ବିଶେଷଜ୍ଞ ସେବା ସମ୍ପର୍କିତ ପରାମର୍ଶ ପାଇପାରିବେ ବୋଲି କ୍ଲିନିକ ପକ୍ଷରୁ କୁହାଯାଇଛି।ଏହାଛଡ଼ା, କିଓରବେ କ୍ଲିନିକ ମାଧ୍ୟମରେ ଦେଶର ବିଭିନ୍ନ ସ୍ଥାନରେ ଥିବା ୨୦୦ରୁ ଅଧିକ ପାର୍ଟନର ହସ୍ପିଟାଲ ସହ ସମନ୍ୱୟ ରଖି ରୋଗୀମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ସେହିପରି ୧୦୦ରୁ ଅଧିକ ପ୍ରକାରର ସର୍ଜରୀ ପାଇଁ ଆବଶ୍ୟକ ସହଯୋଗ, ପରାମର୍ଶ ଓ ରେଫରାଲ ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ଜଣାପଡ଼ିଛି।
କ୍ଲିନିକର ପରିଚାଳକ କହିଛନ୍ତି ଯେ, ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସାଧାରଣ ଲୋକଙ୍କୁ ଉନ୍ନତ ଚିକିତ୍ସା ସେବା ସୁଲଭ ମୂଲ୍ୟରେ ପହଞ୍ଚାଇବା ହିଁ ସଂସ୍ଥାର ମୂଳ ଉଦ୍ଦେଶ୍ୟ। ରୋଗୀମାନଙ୍କୁ ହସ୍ପିଟାଲ ଚୟନ, ଚିକିତ୍ସା ପରାମର୍ଶ, ସର୍ଜରୀ ବ୍ୟବସ୍ଥା ଓ ପରବର୍ତ୍ତୀ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ।ଆସିକା ଅଞ୍ଚଳରେ ଏଭଳି ଏକ ସ୍ୱାସ୍ଥ୍ୟସେବା କେନ୍ଦ୍ର ଖୋଲିବା ଦ୍ୱାରା ସ୍ଥାନୀୟ ଲୋକମାନେ ଉପକୃତ ହେବା ସହ ଉନ୍ନତ ଚିକିତ୍ସା ସୁବିଧା ପାଇବାରେ ସହଜତା ଅନୁଭବ କରିବେ ବୋଲି ଆଶା ପ୍ରକାଶ ପାଇଛି।


