ପଞ୍ଚାୟତ ସଡ଼କ, ବ୍ଲକ ସଡ଼କ, ଜିଲ୍ଲା ମୁଖ୍ୟ ସଡ଼କ, ରାଜ୍ଯ ସଡକ ଠାରୁ ଅଧିକ ଗତିଶୀଳ ଓ ନିରାପଦ ହେଉଛି ଜାତୀୟ ରାଜପଥ। ସବୁ ସଡ଼କ ଠାରୁ ଏହାର ଖର୍ଚ୍ଚ ଅଟକଳ ମଧ୍ଯ ଅଧିକ । ହେଲେ ବିଭାଗୀୟ ଅଧିକାରୀଙ୍କ ବେପରୁଆ ଓ ଠିକାଦାର ମାନଙ୍କ ସହ ମଧୁ ଚନ୍ଦ୍ରିକା ଯୋଗୁଁ ଗଞ୍ଜାମ ଜିଲ୍ଲାର ଜୀବନ ରେଖା ଜାତୀୟ ରାଜପଥ 59 ର ଜୀବନ ଏବେ ବିପନ୍ନ । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଜାତୀୟ ରାଜପଥ 59 ର ଆସିକା ଠାରୁ ଧରାକୋଟ ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା କୁସରାବ ଠାରୁ ସରଧା ପୁର ଉଚ୍ଚ ବିଦ୍ୟାଳୟ ମଧ୍ୟରେ ଥିବା ସିମେଣ୍ଟ କଂକ୍ରିଟ ରାସ୍ତା, କାଳଷଣ୍ଢ ପୁର ଠାରୁ ନଳବଣ୍ଟା ମଧ୍ୟରେ ଥିବା ସିମେଣ୍ଟ କଂକ୍ରିଟ ରାସ୍ତା ଏବେ ଗମନା ଗମନ ପାଇଁ ଅନୁପଯୋଗୀ ସାବ୍ୟସ୍ତ ହୋଇଛି। ଏହି ଦୁଇଟି ଅଞ୍ଚଳରେ ଜଳସ୍ତର ଅଧିକ ରହୁଥିବାରୁ ପିଚୁ ରାସ୍ତା ଅଧିକ ଦିନ ରହୁନଥିବା ଯୋଗୁଁ ବିଭାଗୀୟ ଯନ୍ତ୍ରୀ ମାନେ ବୈଷୟିକ ଜ୍ଞାନ କୌଶଳ ଉପଯୋଗ କରି ଏହି ଦୁଇଟି ଅଞ୍ଚଳରେ କଂକ୍ରିଟ ରାସ୍ତା ନିର୍ମାଣ କରିଥିଲେ । ଗୋପାଳ ପୁର ଠାରୁ ବ୍ରହ୍ମପୁର, ହିଞ୍ଜିଳି,ଆସିକା,ଧରାକୋଟ,ସୋରଡା,ଦାରିଂବାଡ଼ି,ବାଲିଗୁଡ଼ା,ଭବାନୀପାଟଣା , ଖରୀଆର ରୋଡ ଦେଇ ଯାଇଛି ଜାତୀୟ ରାଜପଥ 59 । ଏହି ରାସ୍ତାରେ ଦୈନିକ ଶହ ଶହ ଗାଡି ମଟର ଚଳାଚଳ କରୁଛି । ଯାତ୍ରୀ ପରିବହନ ସହ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏହି ରାଜପଥର ଭୂମିକା ଗୁରୁତ୍ୱପୂର୍ଣ୍ଣ। ହେଲେ କଂକ୍ରିଟ ରାସ୍ତା ନିର୍ମାଣ ସମୟରେ ବିଭାଗୀୟ ଯନ୍ତ୍ରୀ ମାନେ ଠିକାଦାର ଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ଯୋଗୁଁ କଂକ୍ରିଟ ରାସ୍ତାର ମାନ ସଠିକ ନଥିବା ବେଳେ ରାସ୍ତା ସମତଳ ହୋଇନଥିବାରୁ ଏଥିରେ ଯାତାୟାତ ସମୟରେ ଛାତି ଧଡ଼ ଧଡ଼ ହେଉଛି । ଯାହା ଫଳରେ ହୃଦରୋଗୀ,ଛୋଟ ପିଲା,ଆମ୍ବୁଲାନ୍ସ ରେ ଯାଉଥିବା ରୋଗୀଙ୍କ ଜୀବନ ଏହି ରାସ୍ତାଦେଇ ଗଲାବେଳେ ବଜିରେ ଲାଗୁଛି । ସଂପ୍ରତି ଏହି କଂକ୍ରିଟ ରାସ୍ତା ରେ ଫାଟ ସୃଷ୍ଟି ହୋଇଥିଲା ବେଳେ ବିଭାଗ ତରଫରୁ ପିଚୁ ଉପରେ ଦିଆଯାଇ ଦୋଷ ଘୋଡାଇବାକୁ ଉଦ୍ୟମ କରାଯାଇଛି । ଜାତୀୟ ରାଜପଥ ବିଭାଗର କୌଣସି ଅଧିକାରୀ ଙ୍କ ଦେଖା ମିଳୁନାହିଁ ତେଣୁ ସାଧାରଣ ଲୋକେ ଅଭିଯୋଗ କାହାକୁ କରିବେ ବୁଝିପାରୁନା ହାନ୍ତି । କର୍ମୀ ତୋଷଣ ସହ ଅଧିକାରୀ ମାନଙ୍କ ଆୟ ବୃଦ୍ଧି ପାଇଁ ଅନାବଶ୍ୟକ ସ୍ଥାନରେ କେ ଟୁ କରି ନିର୍ମାଣ କାର୍ଯ୍ୟ ଵିଭାଗ ତରଫରୁ କରାଯାଉଛି । ଅଥଚ ଛାତି ଧଡ଼ ଧଡ଼ ହେଉଥିବା ଅଞ୍ଚଳରେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ। ଏଣୁ ଜନ ସାଧାରଣ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।


