ଅଖି ମୁଠି ଆମ କୃଷି ସଂସ୍କୃତିର ଏକ ପାରମ୍ପରିକ ପର୍ବ । ଏହି ଦିନ ଚାଷୀ ମାଟିକୁ ନମନ କରି ନୂତନ ଚାଷ ବର୍ଷର ଆରମ୍ଭ କରେ । ମାଟି ମାଆଙ୍କ ଆଶୀର୍ବାଦ ନେଇ, ହାତରେ ଅଖି ଧରି ଚାଷୀ ଭବିଷ୍ୟତର ସୁନା ଫସଲର ସ୍ୱପ୍ନ ଦେଖେ ।
କିନ୍ତୁ ଆଜିର ପରିସ୍ଥିତି ବିପରୀତ l ନିମିଷକ ପାଇଁ ବଳଦ ଖୋଜାଯାଉଛି l ଯିଏ ପୂର୍ବରୁ ଚାଷୀର ସର୍ବଶ୍ରେଷ୍ଠ ସାଥୀ, ସେମାନେ ଏବେ ଦୁର୍ଲଭ । ଯନ୍ତ୍ରୀକରଣ ଓ ସମୟର ପରିବର୍ତ୍ତନ ଗାଁର ପୁରୁଣା ପରମ୍ପରାକୁ ଧୀରେ ଧୀରେ ଅସ୍ତମିତ କରୁଛି ।
ଏପରି ସମୟରେ ଚାଷୀ ଆଉ ଗୋଟିଏ ବଡ଼ ସମସ୍ୟା ସମ୍ମୁଖୀନ ହେଉଛି l ତାହା ପାଣିର ଅଭାବ । ଆକାଶକୁ ଚାହିଁ ବର୍ଷାର ପ୍ରତୀକ୍ଷା, ଶୁଷ୍କ ଜମିରେ ଫାଟିଥିବା ମାଟି, ଚାଷୀର ମନକୁ ଆତଙ୍କିତ କରୁଛି । ଅଖି ମୁଠିର ପବିତ୍ରତା ଓ ଆଶାର ମଧ୍ୟରେ ଏହି କଠିନ ସତ୍ୟ ଲୁଚି ରହିଛି ।
ତଥାପି ଚାଷୀ ହାରି ଯାଏନି । ମାଟି ପ୍ରତି ତାଙ୍କର ଭକ୍ତି ଓ ଶ୍ରମରେ ଅଛି ଅଦମ୍ୟ ଶକ୍ତି । ଅଖି ମୁଠି କେବଳ ଏକ ପର୍ବ ନୁହେଁ, ଏହା ହେଉଛି ଆଶା, ଆସ୍ଥା ଓ ଜୀବନ ସଂଘର୍ଷର ପ୍ରତୀକ l


