ଭୁବନେଶ୍ବର: କେଉଁଠି ଦୁର୍ଘଟଣା ତ କେଉଁଠି ହତ୍ୟା ଉଦ୍ୟମ ତ ପୁଣି କେଉଁଠି ଦୁଷ୍କର୍ମ । ପୁଣି କେଉଁଠି ଘର ଭିତରେ ଜଳିଗଲା ଜୀବନ । ଆଜି ସକାଳ ହେବା ପର ଠାରୁ ଅପରାହ୍ମ ଯାଏଁ ସାରା ଓଡ଼ିଶାରୁ ଖାଲି ଅଶୁଭ... ଅଘଟଣ ଆଉ ଅଭାବନୀୟ ଘଟଣା ସବୁ ଆସିବାରେ ଲାଗିଛି...ସକାଳୁ ସକାଳୁ ବଡ଼ ଦୁର୍ଘଟଣାର ଖବର ସାମ୍ନାକୁ ଆସୁଛି । ଆଉ ଏହି ଦୁର୍ଘଟଣା ଜଣେ କି ଦୁଇ ଜଣ ନୁହେଁ ବରଂ ୭ ଜଣଙ୍କ ଜୀବନ ନେଇଛି । ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା ପାଇଁ ୭ ଜଣଙ୍କ ଜୀବନ ଯାଇଛି । ମର୍ମନ୍ତୁଦ ବାଇକ ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ଅକାଳ ମୃତ୍ୟୁ। ନୟାଗଡ଼ ଜିଲ୍ଲା ବୋଦସାରେ ଘଟିଛି ଅଭାବନୀୟ ଘଟଣା । ମୃତ ଯୁବକ ୨ ଜଣ ହେଲେ ଭାପୁର ବ୍ଲକର ଧାନଚେଙ୍ଗଡା ପଞ୍ଚାୟତ ଅଧୀନ କଳଟାଙ୍ଗୀ ଗ୍ରାମର ମଦନ ଧଳଙ୍କ ପୁଅ ବୀର କିଶୋର ଧଳ ଓ ତାରେଶ୍ବର ବିଶ୍ବାଳଙ୍କ ପୁଅ ଶଙ୍କର ବିଶ୍ବାଳ ବୋଲି ସୂଚନା ମିଳିଛି। ଯୁବକ ୨ ଜଣ ଏକ ବାଇକ ଯୋଗେ ମର୍ଦ୍ଦରାଜପୁର ଗ୍ରାମରୁ ବୋଦସା ଦେଇ କଳଟାଙ୍ଗୀ ଗ୍ରାମକୁ ଯାଉଥିଲେ। ତେବେ ବେପରୁଆ ବାଇକ ଚାଳନା ଯୋଗୁଁ ଭାରସ୍ୟାମ ହରାଇ ରାସ୍ତା ପାଖ ଗଛରେ ମାଡ଼ ହୋଇ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଗ୍ରାମବାସୀ ଉଭୟଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଉଭୟଙ୍କର ମୃ୍ତ୍ୟୁ ହୋଇଥିବା ନେଇ ଡାକ୍ତର ଘୋଷଣା କରିଥିଲେ। ଖବରପାଇ ପୁଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବ ଜବତ କରିବା ସହ ଦୁର୍ଘଟଣାରେ ଭାଙ୍ଗି ଯାଇଥିବା ବାଇକଟିକୁ ଜବତ କରି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି। ଏହି ଦୁଃଖଦ ଘଟଣାକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

